05/10/2026
ଛାତ୍ର ନେତୃତ୍ୱର ନୂଆ ସୂର୍ଯ୍ୟୋଦୟ
ସେହିଦିନ ମୁଁ ଏହି କଥାଟି ମୋ ଫେସବୁକ୍ରେ ଲେଖିଥିଲି।( https://www.facebook.com/share/p/19cHCzAXwo/ )
ସେହି ଏକ ଛୋଟ ପୋଷ୍ଟକୁ ନେଇ ପରେ ଅନେକ ରାଜନୈତିକ ବ୍ୟକ୍ତିତ୍ୱ, ପ୍ରଭାବଶାଳୀ ବ୍ୟକ୍ତି ଓ ଶୁଭାକାଂକ୍ଷୀ ମୋ ସହ ବିଭିନ୍ନ ସମୟରେ ବିଭିନ୍ନ ଭାବରେ ଆଲୋଚନା କରିଥିଲେ। କିଏ ବୁଝାଇଥିଲେ, କିଏ ବୁଝାଇବାକୁ ଚେଷ୍ଟା କରିଥିଲେ, ଆଉ କିଏ ମୋ ଆଶଙ୍କାକୁ ଅତିରଞ୍ଜିତ ବୋଲି ଭାବିଥିଲେ।
କିନ୍ତୁ ମୁଁ ଅଟଳ ଥିଲି।କାରଣ, ମୁଁ ଜ୍ୟୋତିଷୀ ନୁହେଁ—ଭବିଷ୍ୟତ କହିବାର କୌଣସି ଦାବି ମୋର ନାହିଁ। କିନ୍ତୁ ସମୟର ଗତି, ରାଜନୀତିର ଚରିତ୍ର ଓ ପରିସ୍ଥିତିର ନିରବ ସଙ୍କେତକୁ ପଢ଼ିବାର ଚେଷ୍ଟା ନିଶ୍ଚୟ କରେ।
ସେତେବେଳେ ମୋର ଆଶଙ୍କା ଥିଲା—ଛାତ୍ରମାନଙ୍କର ଗଣତାନ୍ତ୍ରିକ ଅଧିକାରର କଣ୍ଠରୋଧ ହେବ।
ସମୟ ମୋ ଆଶଙ୍କାକୁ ସତ୍ୟ ପ୍ରମାଣିତ କଲା।
ଇତିମଧ୍ୟରେ ଋଷିକୂଲ୍ୟା ଓ ମହାନଦୀରେ ଅନେକ ପାଣି ବହିଯାଇଛି।
ସମୟର ସ୍ରୋତରେ ଅନେକ ଅହଂକାର ଭାସିଯାଇଛି, ଅନେକ ଗର୍ବ ଚୁରମାର ହୋଇଛି। ଯେଉଁ ସତ୍ୟକୁ ଦେଖିବା ପାଇଁ ଆଖି ଅସ୍ୱୀକାର କରୁଥିଲା, ସମୟ ତାହାକୁ ଆଇନା ଭଳି ସାମ୍ନାରେ ଧରିଛି।
ତଥାପି ମୁଁ ଆଜି ଅତୀତର ହିସାବ ନେବାକୁ ଚାହୁଁନି।
କାରଣ, ଗଣତନ୍ତ୍ର ପ୍ରତିଶୋଧର ନୁହେଁ—ସମ୍ଭାବନାର ନାମ।
ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ ପଥ ଖୋଲିଛନ୍ତି। ଦୀର୍ଘ ନିରବତା ପରେ କ୍ୟାମ୍ପସ୍ରେ ପୁଣି ଗଣତନ୍ତ୍ରର ପାଦଚିହ୍ନ ଦେଖାଦେବାକୁ ଯାଉଛି।
ଏହା କେବଳ ଏକ ନିର୍ବାଚନ ନୁହେଁ।
ଏହା ଏକ ପିଢ଼ିର ସ୍ୱପ୍ନକୁ ପୁଣି ଶବ୍ଦ ଦେବାର ପ୍ରୟାସ।
ଏହା ନୂଆ ନେତୃତ୍ୱର ଜନ୍ମଭୂମି।
ଏହା ଯୁବ ମନରେ ଦାୟିତ୍ୱ, ତର୍କ, ତ୍ୟାଗ ଓ ସାଧୁତାର ବୀଜ ବୁଣିବାର ଅବସର।ହୁଏତ ଏହି କ୍ୟାମ୍ପସ୍ରୁ ଆସନ୍ତାକାଲିର କୌଣସି ବିଧାୟକ ଜନ୍ମ ନେବେ, କୌଣସି ସାଂସଦ ତିଆରି ହେବେ, କୌଣସି ମନ୍ତ୍ରୀ ଗଢ଼ିଉଠିବେ—କିନ୍ତୁ ତା’ଠାରୁ ମଧ୍ୟ ବଡ଼ କଥା ହେଉଛି, ଏଠାରୁ ଜନ୍ମ ନେଉ ଏମିତି ମଣିଷ, ଯିଏ କ୍ଷମତାଠାରୁ ନୀତିକୁ, ପଦଠାରୁ ସାଧୁତାକୁ ଏବଂ ରାଜନୀତିଠାରୁ ଜନସେବାକୁ ବଡ଼ ବୋଲି ମାନିବେ।
ମୋର ଆଶା—ଏଥର କେବଳ ନେତା ନୁହେଁ, ନେତୃତ୍ୱ ଜନ୍ମ ନେଉ।
କେବଳ ସ୍ଲୋଗାନ୍ ନୁହେଁ, ସ୍ୱପ୍ନ ଜନ୍ମ ନେଉ।
କେବଳ ଜିତିବାର ଆକାଂକ୍ଷା ନୁହେଁ, ଜନତାଙ୍କ ପାଇଁ ଜିତିବାର ସଂକଳ୍ପ ଜନ୍ମ ନେଉ।ଆଜି ଯେଉଁ ରାଜନୀତି ଅହଂକାର, ସ୍ୱାର୍ଥ ଓ କ୍ଷମତାର କୁହୁଡ଼ିରେ ଆବୃତ, ସେହି ରାଜନୀତିକୁ ଆସନ୍ତା ପିଢ଼ିର ସାଧୁତା, ସତ୍ୟନିଷ୍ଠା ଓ ସେବାର ଗଙ୍ଗାରେ ପ୍ଲାବିତ କରିବାର ସମୟ ଆସିଛି।
ମୁଁ ସ୍ୱାଗତ କରୁଛି ସେହି ଭବିଷ୍ୟତର ‘ଭାଗୀରଥ’ମାନଙ୍କୁ—
ଯେଉଁମାନେ ନିଜ ସ୍ୱାର୍ଥ ପାଇଁ ନୁହେଁ, ସମାଜ ପାଇଁ ନେତୃତ୍ୱ ନେବେ;
ପଦ ପାଇଁ ନୁହେଁ, ପରିବର୍ତ୍ତନ ପାଇଁ ଆଗେଇ ଆସିବେ।ସେମାନଙ୍କ ପାଦଚାରଣରେ କ୍ୟାମ୍ପସ୍ ମୁଖରିତ ହେଉ,
ସେମାନଙ୍କ ଚିନ୍ତାରେ ସମାଜ ଆଲୋକିତ ହେଉ,
ଏବଂ ସେମାନଙ୍କ ସାଧୁତାରେ ରାଜନୀତି ପୁଣି ପବିତ୍ର ହେଉ।
ଛାତ୍ର ସଂସଦ ନିର୍ବାଚନ ପାଇଁ ପଦକ୍ଷେପ ନେଇଥିବାରୁ ରାଜ୍ୟ ସରକାରଙ୍କୁ ସାଧୁବାଦ।କାରଣ, ଗଣତନ୍ତ୍ରର ଦୀପ ଯେତେବେଳେ ପୁଣି ଜଳେ—
ଆଶା କେବଳ ଆଲୋକିତ ହୁଏନି,
ଭବିଷ୍ୟତ ମଧ୍ୟ ଆଲୋକିତ ହୁଏ।
“ଉଦ୍ୟମେନ ହି ସିଦ୍ଧ୍ୟନ୍ତି
କାର୍ଯ୍ୟାଣି ନ ମନୋରଥୈଃ।
ନ ହି ସୁପ୍ତସ୍ୟ ସିଂହସ୍ୟ
ପ୍ରବିଶନ୍ତି ମୁଖେ ମୃଗାଃ॥”
ଆସନ୍ତୁ, ନୂଆ ପିଢ଼ି ନୂଆ ରାଜନୀତିର ଭାଗୀରଥ ହେଉ।
ଗଣତନ୍ତ୍ର ପୁଣି ଗଙ୍ଗା ହୋଇ ବହୁ।
*ଦ୍ବିତୀକୃଷ୍ଣ ପଣ୍ଡା*
ହିଞ୍ଜିଳିକାଟୁ ( ଗଞ୍ଜାମ)
ପିନ୍: ୭୬୧୧୦୨