03/10/2026
ପରିବିନ୍ଧା ମାରପୁରରେ ସପ୍ତଦିନ ବ୍ୟାପି ଶ୍ରୀମଦ୍ ଭାଗବତ ପାରାୟଣ ଓ ଗୀତାଯଜ୍ଞ ଉଦ୍ଯାପିତ
ଶ୍ରୀ ଶ୍ରୀ ଶ୍ରୀମଦ ଭାଗବତ ଟୁଙ୍ଗି ଓ ସାମାଜିକ ଅନୁଷ୍ଠାନ, ପରିବିନ୍ଧା ମାରପୁର ଆନୁକୂଲ୍ୟରେ ଶ୍ରୀ ହରିହର ମନ୍ଦିରରେ ଆୟୋଜିତ ସପ୍ତଦିନ ବ୍ୟାପି ଶ୍ରୀମଦ୍ ଭାଗବତ ପାରାୟଣ ଓ ଗୀତାଯଜ୍ଞ ଆଜି ଶ୍ରଦ୍ଧାପୂର୍ଣ୍ଣ ପରିବେଶରେ ଉଦ୍ଯାପିତ ହୋଇଯାଇଛି। ବିଗତ ଇନ୍ଦୂପୂର୍ଣ୍ଣମୀ (୨୬ ସେପ୍ଟେମ୍ବର) ଠାରୁ ଆରମ୍ଭ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆଜି (୨ ଅକ୍ଟୋବର) ପୂର୍ଣ୍ଣାହୁତି ସହ ସମ୍ପନ୍ନ ହୋଇଛି। ଏହି ସପ୍ତାହବ୍ୟାପୀ ପୂଜାର ଅନ୍ତିମ ଦିବସରେ ଭକ୍ତିପୂତ ପରିବେଶ ମଧ୍ୟରେ ମହାଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ କରାଯାଇଛି ।ଏହି ପବିତ୍ର ଯଜ୍ଞ କାର୍ଯ୍ୟକୁ ବ୍ରାହ୍ମଣ ନାରାୟଣ ପଣ୍ଡା, ମାନସ ରଞ୍ଜନ ମିଶ୍ର, ରଞ୍ଜନ ତ୍ରିପାଠୀ ଓ ରାମକୃଷ୍ଣ ସାମନ୍ତ ମନ୍ତ୍ରୋଚାରଣ ସହ ବୈଦିକ ରୀତିନୀତି ଅନୁଯାୟୀ ସଫଳତାର ସହ ସମ୍ପାଦନ କରିଥିଲେ । ଏହି ଆଧ୍ୟାତ୍ମିକ ଉତ୍ସବରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ମହାପ୍ରଭୁ ଜଗନ୍ନାଥଙ୍କ କୃପା ଲାଭ କରିଛନ୍ତି। ସପ୍ତଦିନ ଧରି ଚାଲିଥିବା ଭାଗବତ ପାରାୟଣ ଓ ଗୀତା ପାଠ ଦ୍ୱାରା ସମଗ୍ର ଅଞ୍ଚଳରେ ଏକ ଦେବୀୟ ଏବଂ ପବିତ୍ର ବାତାବରଣ ସୃଷ୍ଟି ହୋଇଥିଲା। ଗ୍ରାମବାସୀ ଓ ଆୟୋଜକ କମିଟିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମଟି ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସମାପ୍ତ ହୋଇଛି।